
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ଓଡ଼ିଶାକୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭୟଙ୍କର ବାତ୍ୟା ଆସିଛି। ସେ ଫାଇଲିନ ହେଉ କିମ୍ବା ତିତଲି, ଅମ୍ପନ ଅବା ୟାସ୍। ରାଜ୍ୟବାସୀ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବାତ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ଆଉ ଏକ ବାତ୍ୟା ” ଗୁଲାବ ” ଏବେ ଓଡ଼ିଶା ମୁହାଁ । ଆଜି ମଧ୍ୟରାତ୍ରୀରେ ଏହି ବାତ୍ୟା ଗୋପାଳପୁର ଓ ଆନ୍ଧ୍ରପ୍ରଦେଶ ମଝିରେ ଲ୍ୟାଣ୍ଡଫଲ କରିବ । ତେବେ ଏଠି ଏକ ସ୍ବାଭାବିକ ପ୍ରଶ୍ନ ହେଉଛି ଯେ, ବାତ୍ୟା ମାନଙ୍କର ନାମକରଣ କିପରି ହେଉଛି ?
ବାତ୍ୟା ଗୁଡିକର ନାଁ ପଛର ରହସ୍ୟ କଣ ?
ଓଡ଼ିଶା ମୁହାଁ ବାତ୍ୟା ‘ଗୁଲାବ’ର ନାମକରଣ କରିଛି ପାକିସ୍ତାନ। ଗୁଲାବର ଅର୍ଥ ହେଉଛି ‘ଗୋଲାପ ଫୁଲ’। ଏହାର ଉଚ୍ଚାରଣ ହେଉଛି ‘ଗୁଲ-ଆବ୍’ । ତେବେ ଏଠାରେ ସୂଚନାଯୋଗ୍ୟ ଯେ ବିଶ୍ବ ପାଣିପାଗ ସଙ୍ଗଠନ (ଡବ୍ଲ୍ୟୁଏମଓ) ବାତ୍ୟା ନାମକରଣ ଉପରେ ଏକ ତାଲିକା ପ୍ରସ୍ତୁତ କରିଥାଏ। ଉତ୍ତର ଭାରତ ମହାସାଗର ଏବଂ ଆରବ ସାଗର ଆସୁଥିବା ବାତ୍ୟାର ନାମକରଣ ଭାରତ, ବାଂଲାଦେଶ, ଇରାନ, ମାଳଦ୍ବୀପ, ମିଆଁମାର, ଓମାନ, ପାକିସ୍ତାନ, କାତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟେମେନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଦ୍ବାରା ହୋଇଥାଏ।
୨୦୦୦ ମସିହାରେ ବାତ୍ୟା ନାମକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ଭାରତ ମହାସାଗର କ୍ଷେତ୍ରର ୮ଟି ଦେଶ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ସେହି ଦେଶ ଗୁଡିକ ହେଲେ ଭାରତ, ବାଂଲାଦେଶ, ମାଲଦ୍ୱୀପ, ଓମାନ, ପାକିସ୍ତାନ, ମିଆଁମାର, ଥାଇଲାଣ୍ଡ ଓ ଶ୍ରୀଲଙ୍କା । ୨୦୧୮ ମସିହାରେ ଇରାନ, କତର, ସାଉଦି ଆରବ, ୟୁଏଇ ଓ ୟମେନ ମଧ୍ୟ ଏହି ନାମକରଣ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ବର୍ତ୍ତମାନ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡକୁ ନେଇ ଏହି ୧୩ ଦେଶ ନାମକରଣ କରିଥାନ୍ତି । ଏହି ନାମକରଣ କରିବାର ମଧ୍ୟ ପ୍ରକ୍ରିୟା ରହିଛି । ଆଲଫାବେଟ ସିଷ୍ଟମରେ ବାତ୍ୟାର ନାମକରଣ ହୋଇଥାଏ । ଭାରତ ମହାସାଗରରେ ବାତ୍ୟା ଆସେ ତେବେ ଆଲଫାବେଟ ଅନୁସାରେ ଯେଉଁ ଦେଶର ନାଁ ଆଗ ଆସିବ ସେହିଁ ବାତ୍ୟାର ନାମକରଣ କରିବ । ଆଲଫାବେଟ ଅନୁସାରେ ବର୍ତ୍ତମାନ ବାତ୍ୟା ଗୁଲାବର ନାଁ ପାକିସ୍ତାନ ଦେଇଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
