ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୬-୦୯-୨୦୨୧
ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି ବାତ୍ୟା ‘ଗୁଲ୍-ଆବ୍’। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ରବିବାର ଦିନ ଅର୍ଥାତ୍ ଆଜି ରାତି ପ୍ରାୟ ୮ଟାରେ ବାତ୍ୟା ରୂପ ନେବ। ଘଣ୍ଟାପ୍ରତି ୧୭ କିମି ବେଗରେ ସ୍ଥଳ ଆଡ଼କୁ ମାଡ଼ି ଆସୁଛି। ବାତ୍ୟା ରୂପ ନେବା ପରେ ସମୁଦ୍ର ଭିତରେ ପବନର ବେଗ ଘଣ୍ଟାପ୍ରତି ବେଗ ୬୫ରୁ ୭୫ କିମି ରହିଛି। ଧୀରେ ଧୀରେ ଏହା ଅତି ଭୀଷଣ ରୂପ ଧାରଣ କରି ରବିବାର ପୂର୍ବାହ୍ନରେ ପବନର ବେଗ ୯୫ କିମି ଛୁଇଁବ। ଏହା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ ହେବ।
ଆଜି ସନ୍ଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଓ ଦକ୍ଷିଣ ଓଡ଼ିଶାର ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡ୍ଫଲ୍ କରିବ। ସେତେବେଳେ ବି ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବା ସହ ସ୍ଥଳ ବିଶେଷରେ ୯୫ କିମି ଛୁଇଁବ।
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବାତ୍ୟା ‘ଗୁଲ୍-ଆବ୍’ ସ୍ଥଳ ଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବ। ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବାତ୍ୟା ଲ୍ୟାଣ୍ଡ୍ଫଲ୍ କରିବା ସମୟରେ ସମୁଦ୍ର ଅଶାନ୍ତ ରହିବ। ଗଞ୍ଜାମ, ଶ୍ରୀକାକୁଲମ୍ ଓ ବିଜୟନଗରମ୍ ଜିଲ୍ଲା ଉପକୂଳରେ ଅଧ ମିଟର ପର୍ଯ୍ୟନ୍ତ ଜୁଆର ଉଠିବ। ଏଣୁ ଆଜିଠାରୁ ସମୁଦ୍ର ଭିତରକୁ ପ୍ରବେଶ କରିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।
ଏଥିପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏସବୁ ଜିଲ୍ଲାରେ ପବନର ତୀବ୍ରତା ସେତେ ଅଧିକ ରହିବ ନାହିଁ। ତେବେ ଦୁଇ ଦିନ ଧରି ବର୍ଷା ଲାଗିରହିବ। ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ଧୀରେ ଧୀରେ ଦୂର୍ବଳ ହୋଇଯିବ। ପୁରୀର କଣାସଠାରୁ ଗଞ୍ଜାମର ସୋନପୁର ବେଳାଭୂମି ଓ ସଂଲଗ୍ନ ନୟାଗଡ଼, ଗଜପତିରେ ପ୍ରବଳ ବର୍ଷା ହେବ। ସେହିପରି ରାୟଗଡ଼ା, କନ୍ଧମାଳ, କୋରାପୁଟ ଓ ମାଲକାନଗିରିରେ ମଧ୍ୟମଧରଣର ବର୍ଷା ହୋଇପାରେ। ଏଥିସହ ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନର ଆଶଙ୍କା ଅଧିକ ରହିଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏସ୍ଆର୍ସି ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ପ୍ରଭାବ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ଜିଲ୍ଲା ଉପରେ ପଡ଼ିବ। ବାତ୍ୟାରେ ପବନର ବେଗ କମ୍ ରହିବ କିନ୍ତୁ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୨୬ ଓ ୨୭ ତାରିଖରେ ଓଡ଼ିଶାର ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ। ବିଶେଷ କରି ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲା ସହ ନୟାଗଡ଼କୁ ୪୨ଟି ଓଡ୍ରାଫ୍ ଓ ୨୪ଟି ଏନ୍ଡିଆର୍ଏଫ୍ ଟିମ୍କୁ ମୁତୟନ କରାଯିବ। ଅତିପ୍ରବଳ ବର୍ଷା ହେବାକୁ ଥିବାରୁ କେତେକ ସ୍ଥାନରେ ଅଚାନକ ବନ୍ୟା ଆସିପାରେ ବୋଲି ଏସ୍ଆରସି ସତର୍କ କରାଇଛନ୍ତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
