ଦିଲ୍ଲୀରୁ ବାତ୍ୟା ‘ଗୁଲାବ’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଅପରାହ୍ଣ ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ସାରିବାକୁ ଦେଲେ ନିର୍ଦ୍ଦେଶ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀ ଗସ୍ତରେ ଥାଇ ମଧ୍ୟ ଆଜି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ବିଶେଷ କରି ଜୀବନ ରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିବା ସଙ୍ଗେ ସଙ୍ଗେ ଆବଶ୍ୟକାତା ଠାରୁ ଅଧିକ ଆଗକୁ ଯାଇ କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ଆଜି ଅପରାହ୍ନ ସୁଦ୍ଧା ବାତ୍ୟା ପ୍ରଭାବିତ ଜିଲ୍ଲାମାନଙ୍କର ତଳିଆ ତଥା ବନ୍ୟାପ୍ରବଣ ସ୍ଥାନମାନଙ୍କରୁ ଏବଂ କଚ୍ଚା ଘରମାନଙ୍କରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଭୂସ୍ଖଳନ ସଂଭାବନା ଥିବା ଅଞ୍ଚଳମାନଙ୍କରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ସମୀକ୍ଷା ବୈଠକରେ ଏସ୍ଆରସି ପ୍ରଦୀପ ଜେନା ପରିସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ପ୍ରଭାବିତ ଜିଲ୍ଲା ମାନଙ୍କରେ ୪୨ଟି ଓଡ୍ରାଫ, ୨୪ NDRF, ୧୦୩ ଅଗ୍ନିଶମ ଦଳ ମୁତୟନ କରାଯାଇଛି ବୋଲି ସୂଚନା ଦେଇଥିଲେ । ଏହି ବାତ୍ୟା ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ ଜିଲ୍ଲା ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ ଏହି ଜିଲ୍ଲାଗୁଡିକ ସହିତ କନ୍ଧମାଳ, ମାଲକାନଗିରି, ନବରଂଗପୁର ଓ କଳାହାଣ୍ଡିର କିଛି ଅଞ୍ଚଳରେ ପ୍ରବଳକୁ ପ୍ରବଳତର ବର୍ଷା ଏବଂ ଖୋର୍ଦ୍ଧା, ପୁରୀ ଓ ନୟାଗଡ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀ ଗସ୍ତରେ ଥିବା ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜଳସଂପଦ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ପ୍ରମୁଖ ସଚିବ, ମତ୍ସ୍ୟ ଓ ପଶୁସଂପଦ ବିଭାଗର ସଚିବ ଓ ପ୍ରଭାବିତ ୧୧ଟି ଜିଲ୍ଲାର ଜିଲ୍ଲାପାଳମାନେ ବୈଠରେ ଭାଗ ନେଇଥିଲେ ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
