ଅଷ୍ଟିନ ନ୍ଯୁଜ/ ଭୁବନେଶ୍ୱେର
ତା -୩୦/୦୮/୨୦୨୧

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଅଗଷ୍ଟ ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ୟୁଜି ଷଷ୍ଠ ସେମିଷ୍ଟାର ପରୀକ୍ଷା ଦେଇଥିଲେ। ଏହାର ଫଳାଫଳ ପ୍ରକାଶ ପାଇନଥିବାରୁ ଛାତ୍ରଛାତ୍ରୀମାନେ କଲେଜ ଏବଂ ଓଡ଼ିଶା ଶିକ୍ଷା ବିଭାଗର ଅଧିକାରୀଙ୍କୁ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ବି ଏପର୍ଯ୍ୟନ୍ତ ସେମାନଙ୍କୁ ପ୍ରୋଭିଜିନାଲ ମାର୍କସିଟ୍ ଦିଆଯାଇନାହିଁ। ଅନେକ ବିଶ୍ୱବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ପରୀକ୍ଷାର୍ଥୀମାନେ ଆଶା ଆଶଙ୍କାରେ ରହିଛନ୍ତି।ପୂର୍ବରୁ ପ୍ରୋଭିଜିନାଲ ମାର୍କସିଟ୍ ମଧ୍ୟ ନ ମିଳିବା କାରଣରୁ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଛି।ଏ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବ୍ୟକ୍ତିଗତ ହସ୍ତକ୍ଷେପ କରି ଛାତ୍ରଛାତ୍ରୀଙ୍କୁ ଷଷ୍ଠ ସେମିଷ୍ଟାର ପରୀକ୍ଷା ଫଳର ଫାଇନାଲ ମାର୍କସିଟ୍ କିମ୍ବା ପ୍ରୋଭିଜିନାଲ ମାର୍କସିଟ୍ ଦେବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି। ପ୍ରୋଭିଜିନାଲ ମାର୍କସିଟ୍ ଦିଆଗଲେ ପରୀକ୍ଷାର୍ଥୀମାନେ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସୁଯୋଗ ପାଇପାରିବେ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।
