
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏସବକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ସେ କହିଛନ୍ତି, ଗତକାଲି ରାତି ପ୍ରାୟ ୧୨ଟା ୧୫ରେ ଏହା ବିସ୍ଫୋରଣ ହୋଇଛି । ଥାନାରେ କୌଣସି କେସ୍ ସଂକ୍ରାନ୍ତରେ କିଛି ବିସ୍ଫୋରକ ମାଲଖାନାରେ ରଖାଯାଇଥିଲା । ଏହା ଫଳରେ ଥାନାର ଛାତ ଓ କାନ୍ଥ ନଷ୍ଟ ହୋଇଛି । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଯେ କୌଣସି ପୁଲିସ କର୍ମଚାରୀ ଆହତ ହୋଇନାହାନ୍ତି। ତେବେ କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି ଯେ, ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରୁଛନ୍ତି । ତନ ତନ କରି ପରୀକ୍ଷା କରିବା ପରେ କେଉଁ ଅଧିକାରୀ ଏଥିପାଇଁ ଦାୟୀ ଜଣାପଡ଼ିବ । ଏବଂ ଉକ୍ତ ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣରେ ଥାନାର ଛାତ ଭୁଶୁଡିବା ସହ କାନ୍ଥ ଫାଟିଥିଲା। ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ, କମ୍ପ୍ୟୁଟର, ଟେବୁଲ, ଚେୟାର ସବୁ ନଷ୍ଟ ହୋଇଛି। ବିସ୍ଫୋରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ଅନ୍ୟ ପକ୍ଷରେ , ବଳଙ୍ଗା ଥାନା ବିସ୍ଫୋରଣ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ, ” ଯଦି ରକ୍ଷକ ସୁରକ୍ଷିତ ନୁହଁନ୍ତି ତେବେ ଲୋକେ କେତେ ସୁରକ୍ଷିତ । ଉପନିର୍ବାଚନ ସମୟରେ ଏପରି ହେବା ଗଣତନ୍ତ୍ରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି । ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ବିଜେଡ଼ି ନିର୍ବାଚନକୁ ପ୍ରଭାବିତ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
