
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଭୁବନେଶ୍ୱର କ୍ଲବର ନିର୍ବାଚନ ଶେଷ ହୋଇଛି । ଏହି ହାଇଭୋଲଟେଜ୍ ମ୍ଯାଚରେ ବାଜି ମାରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ ଭୁବନେଶ୍ୱର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ଅନ୍ୟତମ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍ରେ ହରାଇଛନ୍ତି।ତେବେ ଅସିତ ତ୍ରିପାଠୀଙ୍କୁ ମୋଟ ୭୭୬ ଭୋଟ୍ ମିଳିଥିବାବେଳେ ତାଙ୍କ ପ୍ରତିଯୋଗୀ ବିଜୟ ପଟ୍ଟନାୟକଙ୍କୁ ୪୯୮ ଭୋଟ୍ ମିଳିଥିବା ସୂଚନା ମିଳିଛି ।
ଭୁବନେଶ୍ୱର କ୍ଲବ୍ର ସଭାପତି ନିର୍ବାଚିତ ହେବା ପରେ ଅସିତ ତ୍ରିପାଠୀ କହିଛନ୍ତି ଯେ , ” ଏହା ଏକ ୭୦ ବର୍ଷରୁ ଅଧିକ ସମୟର କ୍ଲବ୍। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହି କ୍ଲବ୍ ଗଠନ କରାଯାଇଥିଲା, ତା’ର ଉଦ୍ଦେଶ୍ୟ ପୂରଣ ହୋଇପାରି ନାହିଁ। କ୍ଲବ୍ କହିଲେ କେବଳ ଏକ ବାର୍ କି ରେଷ୍ଟୁରାଣ୍ଟ ନୁହେଁ। ତାଙ୍କ ନୂଆ ଟିମ୍ କ୍ଲବ୍କୁ ଏକ ନୂଆ ଦିଗରେ ଆଗେଇ ନେବ।”
ଗତ ବର୍ଷ ଡିସେମ୍ବର ୩୧ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ ଅସିତ୍ ତ୍ରିପାଠୀ। ଏହା ପରେ ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ୱର କ୍ଲବର କର୍ମକର୍ତ୍ତା ନିର୍ବାଚନ ପାଇଁ ଶନିବାର ଓ ରବିବାର ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ଆଜି ଫଳାଫଳ ଘୋଷଣା ହୋଇଛି। ତେବେ ଦୀର୍ଘ ବର୍ଷ ପରେ ସଭାପତି ପଦ ପାଇଁ ଭୋଟିଂ ହେବା ସହ ଅସିତ୍ ତ୍ରିପାଠୀ ଏହି ନିର୍ବାଚନରେ ବାଜି ମାରିଛନ୍ତି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
