ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୨୩-୦୫-୨୦୨୧
ଆସୁଛି ବାତ୍ୟା । ବଙ୍ଗୋପସାଗରରୁ ମାଡ଼ି ଆସୁଥିବା ବାତ୍ୟା ‘ୟଶ୍’ର ଅତି ଭୀଷଣ କୋପରୁ ବର୍ତ୍ତିପାରେ ଓଡ଼ିଶା । ପାଣିପାଗର ତାଜା ଆକଳନ ସଙ୍କେତ ଦେଖାଉଛି, ବାତ୍ୟା ଓଡ଼ିଶାରେ ସିଧା ମାଡ଼ ହୋଇନପାରେ । ଅତି ଭୀଷଣ ବାତ୍ୟା ଅବସ୍ଥାରେ ୟଶ୍ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଉପକୂଳ ଛୁଇଁବା ସମ୍ଭାବନା ଅଧିକ । ଏମିତି ହେଲେ ଓଡ଼ିଶା ବଡ଼ ବିପଦରୁ ବର୍ତ୍ତିଯିବ ।
ତଥାପି ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାକୁ ପ୍ରଭାବିତ କରିବ ବର୍ଷା, ପବନ । ମାତ୍ର ଏହାର ତୀବ୍ରତା ଓ ପ୍ରକୋପ ସେତେ ଭୟାନକ ହେବନି ଓଡ଼ିଶାରେ ।ପାଣିପାଗ ବିଭାଗ (ଆଇଏମ୍ଡି) କହିଛି, ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶନିବାର ସକାଳେ ଲଘୁଚାପରେ ପରିଣତ ହୋଇଛି । ରବିବାର ସକାଳକୁ ଏହା ଅବପାତ (ଡିପ୍ରେସନ୍) ରୂପ ନେବ ।

ପୂର୍ବରୁ ଆକଳନ କରାଯାଉଥିଲା, ଏହାର ଗତି ଉତ୍ତର-ପଶ୍ଚିମ ରହିବ । ଏବେର ସ୍ଥିତି କହୁଛି, ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ । ଆସନ୍ତା ୨୪ ତାରିଖବେଳକୁ ବଳ ଜୁଟାଇ ବାତ୍ୟାରେ ପରିଣତ ହେବ । କ୍ରମଶଃ ଶକ୍ତିଶାଳୀ ହୋଇ ଚାଳିବ । ୨୫ ତାରିଖବେଳକୁ ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକ୍ଲୋନ) ଅବସ୍ଥାରେ ମୁହାଁଉଥିବ ସେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ । ୨୬ ତାରିଖ ସକାଳେ ଉତ୍ତର ବଙ୍ଗୋପସାଗରର ଉତ୍ତର ଓଡ଼ିଶା ଉପକୂଳ, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳ ପାଖରେ ଥିବ ।
ସେଇଦିନ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ଗତକାଲି ଯାଏଁ ବାଂଲାଦେଶ ଉପକୂଳ ମୁହାଁଇବା ନେଇ କୌଣସି ଆକଳନ କରିନଥିଲା ଆଇଏମ୍ଡି ।ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର ଆକଳନ ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ମିଆଁମାର ମୁହାଁ ଅଛି । ଶନିବାର ସନ୍ଧ୍ୟା ୫ଟାବେଳେ ଏହା ବଙ୍ଗୋପସାଗରରେ ୧୫.୩ ଡିଗ୍ରୀ ଅକ୍ଷାଂଶ ଓ ୯୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ କେନ୍ଦ୍ରୀଭୂତ ଥିଲା । ଅନୁମାନ କରାଯାଉଛି, କ୍ରମଶଃ ବଳ ଜୁଟାଇ ଏହା ସିଧା ଉତ୍ତର ଦିଗରେ ମୁହାଁଇବ ।

ଏମିତି ମୁହାଁଇଲେ ସିଧା ପଶିବ ବାଂଲାଦେଶ ଉପକୂଳରେ । ଯଦି ସାମାନ୍ୟ ଦିଗ ବଦଳାଇ ଉତ୍ତର-ପଶ୍ଚିମକୁ ମୁହାଁଇବ, ତେବେ ପଶ୍ଚିବଙ୍ଗ ଉପକୂଳ ଛୁଇଁବ ।କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ଏଭଳି ସମ୍ଭାବନାକୁ ସାମ୍ନାକୁ ଆଣିଛନ୍ତି । ତାଙ୍କ କହିବା କଥା ହେଲା, ଆଇଏମ୍ଡି ଜିଏଫ୍ଏସ୍ ମଡେଲ କହୁଛି, ସମ୍ଭାବ୍ୟ ବାତ୍ୟା ବାଂଲାଦେଶକୁ ମୁହାଁଇବ । ଏନ୍ସିଇପି ଜିଏଫ୍ଏସ୍ ମଡେଲ୍ କହୁଛି, ଏହା ପଶ୍ଚିମବଙ୍ଗକୁ ମୁହାଁଇପାରେ ।
ଇସିଏମ୍ଡବ୍ଲୁଏଫ୍ ସମାନ କଥା କହୁଛି । ଇତିମଧ୍ୟରେ ଆଇଏମ୍ଡି ପୂର୍ବାନୁମାନରେ କିଛି ପରିବର୍ତ୍ତନ ଆସିଛି । ଏବେ ଆଇଏମଡି କହୁଛି, ସମ୍ଭାବ୍ୟ ବାତ୍ୟା ଉତ୍ତର-ପଶ୍ଚିମ ବଦଳରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ୨୬ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ । ବାତ୍ୟା ଛୁଇଁବାର ସମ୍ଭାବ୍ୟ ପରିଧିକୁ ବାଂଲାଦେଶ ମଧ୍ୟ ଆସିଯାଇଛି । ଅନ୍ୟପଟେ ଉତ୍ତର ବାୟୁମଣ୍ଡଳର କେତେକ ଉପାଦାନର ଆକଳନରେ ପରିବର୍ତ୍ତନ ଆସିଛି ।

ବିଭିନ୍ନ ବିଶ୍ଳେଷଣରୁ ଜଣାପଡ଼ୁଛି, ୟଶ୍ ଅତି ଭୀଷଣ ବାତ୍ୟା ରୂପରେ ପଶ୍ଚିମବଙ୍ଗର ୨୪ ପ୍ରଗଣା, ସଂଲଗ୍ନ ମେଦିନପୁର, ସୁନ୍ଦରବନ ଓ ବାଂଲାଦେଶ ଉପକୂଳ ମୁହାଁଇପାରେ । ଏହା ଆଜିର ଆକଳନ । ଆଗାମୀ ୩ ଦିନ ଭିତରେ ଏହା ପୁଣି ଦିଗ ବଦଳାଇପାରେ । ତେଣୁ ଆମକୁ ପୂର୍ବ ପ୍ରସ୍ତୁତି ଓ ସତର୍କତା ଜାରି ରଖିବାକୁ ପଡ଼ିବ ।ଡକ୍ଟର ପଶୁପାଳକ କହିଛନ୍ତି, ଉପର ଆକଳନକୁ ବିଚାରକୁ ନେଲେ ଓଡ଼ିଶାରେ ୟାସ୍ ବାତ୍ୟାର ପ୍ରଭାବ କମ୍ ପଡ଼ିପାରେ ।
ତଥାପି ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକରେ ପବନ ସହ ପ୍ରବଳ ବର୍ଷା ହୋଇପାରେ । ପୁରୀଠାରୁ ଉତ୍ତରରେ ଥିବା ସମସ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲା ସହିତ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହେବ । ୨୫ ଓ ୨୬ରେ ଉପକୂଳ ଜିଲ୍ଲା, ୨୬-୨୭ ତାରିଖରେ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ହେଲେ ଏସବୁ ଆକଳନ ଏବେ ବି ଅନିଶ୍ଚିତତାରେ ଅଛି । ବାତ୍ୟା ସୃଷ୍ଟି ହେବା ପରେ ସ୍ପଷ୍ଟ ଚିତ୍ର ମିଳିବ ।

ଆଇଏମ୍ଡି କହିଛନ୍ତି ଯେ , ୨୪ ତାରିଖ ସନ୍ଧ୍ୟାରୁ ଓଡ଼ିଶାରେ ପାଗ ବଦଳିବ । ୨୪ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦-୫୦ କିମି ବେଗରେ ପବନ ବହିପାରେ। ମଝିରେ ମଝିରେ ପବନ ଝଟ୍କା ଘଣ୍ଟା ପ୍ରତି ୬୦ କିମି ବେଗ ଛୁଇଁପାରେ । ୨୫ ତାରିଖ ସନ୍ଧ୍ୟାରୁ ପବନ ବେଗ ବଢ଼ି ଘଣ୍ଟା ପ୍ରତି ୫୦-୬୦ କିମି ହେବ । ପବନ ଧକ୍କା ୭୦ କିମି ରହିପାରେ । ୨୬ ତାରିଖ ସକାଳୁ ଉତ୍ତର ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୬୦-୭୦ କିମି ଓ ପବନ ଧକ୍କା ବେଗ ୮୦ କିମି ପହଞ୍ଚିପାରେ । ଅପରାହ୍ନରେ ପବନ ବେଗ ଆହୁରି ବଢ଼ିବ ।
ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ହୋଇପାରେ । ପବନ ଝଟକା ୧୧୦ କିମି ପର୍ଯ୍ୟନ୍ତ ରହିପାରେ । କ୍ରମଶଃ ପବନ ବେଗ ବଢ଼ିବା ଆଶଙ୍କା ରହିଛି ।୨୫ ଓ ୨୬ରେ ଓଡ଼ିଶାରେ ସର୍ବାଧିକ ପ୍ରଭାବ ରହିବ ବାତ୍ୟାର । ୨୫ରେ ମୁଖ୍ୟତଃ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ଉତ୍ତର ଆଭ୍ୟନ୍ତରୀଣର କେତେକ ଜାଗାରେ ବି ବର୍ଷା ହୋଇପାରେ ।
ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ ମୟୂରଭଞ୍ଜରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ୨୬ରେ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣର କେତେକ ଜାଗାରେ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, କେନ୍ଦ୍ରାପଡ଼ାରେ ପ୍ରବଳରୁ ପ୍ରବଳତର କେତେକ ଜାଗାରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି ।

ମୟୂରଭଞ୍ଜ ଓ ବାଲେଶ୍ୱରରେ ୨୦୦ ମିଲିମିଟର ବର୍ଷା ହୋଇପାରେ । ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ସୁନ୍ଦରଗଡ଼ରେ ବି ପ୍ରବଳ ବର୍ଷା ଆଶଙ୍କା ଅଛି । ୨୪ରୁ ୨୭ ଯାଏଁ ସମୁଦ୍ର ଅଶାନ୍ତ ରହିବ । ଉଚ୍ଚ ଜୁଆର ଆସିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
