ଜଣେ ଲେଖକର ଅପମୃତ୍ୟୁ…………..
ଅଷ୍ଟିନ ନ୍ଯୁଜ
ତା-୨୬-୦୪-୨୦୨୧
ରାଜନେତାଟିଏ ମରିଗଲେ କ’ଣ ନହୁଏ? କାହାକୁ ସୁଯୋଗ ମିଳିଯାଏ, ତ ଆଉ କହାର ସୁଯୋଗ ଅକାଳରେ ହାତଛଡ଼ା ହୋଇଯାଏ। କେଉଁଠି କାନ୍ଦବୋବାଳି ପଡ଼େ ତ ଆଉ କେଉଁଠି ରାଜନୈତିକ ସମୀକରଣ ହେଣ୍ଡି ମାଡ଼ କରେ। କେଉଁଠି ମଦମାଂସର ଆସରରେ ମରୁଡ଼ି ପଡ଼େ ତ ଆଉ ସେସବୁର ବନ୍ୟା ଛୁଟେ। ରାଜନେତା ଜଣେ ମରିଗଲେ, ସେ ଯେ କୌଣସି କାରଣରୁ ମୃତ୍ୟୁ ଭୋଗନ୍ତୁ ପଛକେ, ତାଙ୍କ ଘର ଆଗରେ ଗଣମାଧ୍ୟମ ଗଣଧାରଣା କଲାଭଳି ଭ୍ରମ ସୃଷ୍ଟିହୁଏ। ତହୁଁ ବଳି ରାଜନେତାଙ୍କର ଭିଡ଼ ଜମେ। ସାମାଜିକ ଗଣମାଧ୍ୟମ ଲୁହରେ ବତୁରେ।
କିନ୍ତୁ ଲେଖକଟିଏ ପାଇଁ କିଏ ବା କାନ୍ଦିବ?ରାଜନେତାଟିଏ ମରିଗଲେ ବେଶ୍ କିଛି ଘଟେ ଏ ପୃଥିବୀରେ। ଲେଖକଟିଏ ମରିଗଲେ କ’ଣ ହୁଏ? ହେବ ବା କାହିଁକି? କ’ଣ ତା’ର ଅବଦାନ ଏ ପୃଥିବୀ ପାଇଁ?ସେମିତି ଜଣେ ଲେଖକ ମରିଗଲେ ଗତକାଲି। ମରିଗଲେ ନା ମାରିଦିଆଗଲା! ଆତ୍ମହତ୍ୟା ପ୍ରକୃତି ଓ ଈଶ୍ବରଙ୍କ ପ୍ରତି ସବୁଠୁ ବଡ଼ ଦ୍ରୋହ। କିନ୍ତୁ, ମନକୁ ସେତିକି ନବାଧିଲେ କିଆଁ ଜଣେ ଯାଉଥିଲା ଜଳିବାକୁ? ଯନ୍ତ୍ରଣା କେତେ ତୀବ୍ର ହେଲେ ତା ଆଗରେ ନିଜ ମାଂସ ଜଳିବାର ପୀଡ଼ା ବି ଫିକା ପଡ଼ିଯାଏ?
ଲେଖକ ଜଣକ ଛୋଟ ଗୋଟେ ସରକାରୀ ଚାକିରି କରୁଥିଲେ, ଅସ୍ଥାୟୀ। ପ୍ରାୟ ୩ ଦଶନ୍ଧି ଧରି କାମ କଲା ପରେ ବି ଦରମା ୧୩ ହଜାର ଟପିନଥିଲା। ସେଇ ଚାକିରିଟିକୁ ସ୍ଥାୟୀ କରିବା ଲାଗି ବାରମ୍ବାର ନେହୁରା କରିବା ହିଁ ତାଙ୍କୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ଆଗରେ ଶତ୍ରୁ ସଜାଇଲା; ମିଳିଲା ମିଥ୍ୟା ପୁଲିସ୍ କେସ୍ର ଧମକ, ଅପମାନ ଆଉ ଲାଞ୍ଛନା ପାଇ ଫେରିବାକୁ ହେଲା ନିରାଶରେ। ସେ ଅପମାନ, ସେ ଲାଞ୍ଛନାର ତୀବ୍ରତା ମାପିବା ପାଇଁ କୌଣସି ସ୍କେଲ ଉଦ୍ଭାବିତ ହୋଇନାହିଁ ଏ ଯାଏଁ। କିନ୍ତୁ ଏତିକି ସ୍ପଷ୍ଟ, ଦେହ ହୁତୁହୁତୁ ହୋଇ ଜଳିବାଠାରୁ ସେ ଲାଞ୍ଛନା ଅଧିକ ଯନ୍ତ୍ରଣାଦାୟକ ଥିଲା ନିଶ୍ଚୟ।
ଆଉ ଅଧିକ କ’ଣ ବା କରିପାରିଥାଆନ୍ତା କବିଟିଏ? କବିତା ଲେଖି ନିଜର କୋହକୁ ପରିପ୍ରକାଶ କରିପାରିଥାଆନ୍ତା ସେ। କିନ୍ତୁ ସେ ଯନ୍ତ୍ରଣା ହୁଏତ ଏତେ ତୀବ୍ରତର ଥିଲା କୌଣସି ଶବ୍ଦଖେଳ ତାକୁ ପ୍ରଶମିତ କରିପାରିନଥାନ୍ତା। ଛାତିତଳେ ଜଳୁଥିବା ସେ ନିଆଁ ଏତେ ଲେଲିହାନ ଥିଲା ଯେ ତାକୁ ଲିଭାଇବା ପାଇଁ ଗୋଟିଏ ବି ଉପାଦାନ ଯୁଟାଇପରିଲାନାହିଁ ଲେଖକ। କଣ୍ଟାକୁ କଣ୍ଟାରେ କାଢ଼ିବା ପରି ଛାତି ତଳର ସେ ଚରମ ନିଆଁକୁ ନିଆଁରେ ଲିଭାଇଦେଲା ସେ ଚିରଦିନ ପାଇଁ। ଏ ନାଚାର ସମାଜରେ ଆମ ଅଜାଣତରେ ଏମିତି କେତେ ଯେ ନିଆଁ ଜଳୁଛି କିଏ ଜାଣେ? ସେ ସବୁର ଶେଷ ପରିଣତି କ’ଣ ଏମିତି ଦହନ ମୃତ୍ୟୁ!
କବି ଦିନବନ୍ଧୁ ମିଶ୍ର। ଏଇ ନାଁରେ ତାଙ୍କୁ ଜାଣନ୍ତି ସଭିଏଁ। କବିତା ଲେଖୁଥିଲେ। ପେଟପୋଷିବା ପାଇଁ ସମ୍ବଲପୁର ବିଶ୍ବିଦ୍ୟାଳୟରେ ଅସ୍ଥାୟୀ ଭାବେ କମ୍ପ୍ୟୁଟର ସହାୟକ ଚାକିରି କରୁଥିଲେ। କୁଳପତିଙ୍କର ସଂଯମହୀନ ଶବ୍ଦାଘାତରେ ଆହତ ଦିନବନ୍ଧୁ ମିଶ୍ର ଅପମାନ ଓ ଅଭାବରୁ ମୁକ୍ତିର ବାଟ ଭାବେ ଖୋଜିନେଲେ ଆତ୍ମାହୁତିକୁ। ପେଟ୍ରୋଲ ଢାଳି ନିଜକୁ ନିଜେ ଜାଳିଦେଲେ।
ଗଣମାଧ୍ୟମ, ପ୍ରଶାସନ, ସରକାର, ବୁଦ୍ଧିଜୀବୀ ଓ ରାଜନେତାଙ୍କ ପାଇଁ ଏ ଗୋଟିଏ ମାମୁଲି ଘଟଣା। ନିତିଦିନ ଏମିତି କେତେ ମାମୁଲି ଜୀବନ ଅଦିନରେ ମଉଳିଯାଉଛି, ତାହାର ହିସାବ ରଖିବାକୁ କାହାପାଖରେ ବା ସମୟ ଅଛି! ଦଳିତ ଘରେ ମିନେରାଲ ପାଣି ପିଇସାରି ନେତା କେତେବେଳେ ବାହରକୁ ବାହାରିବେ ଏହାର ଲାଇଭ୍ ଭିଡିଓ ଦେଖାଇବାକୁ ଚାଳିଆ ବାହାରେ ଅପେକ୍ଷାରତ ଗଣମାଧ୍ୟମ ପାଖରେ ଏ ମାମୁଲି ମୃତ୍ୟୁଖବର ପାଇଁ ସମୟ କାହିଁ?
ଦେଶର ଅର୍ଥ ଦେଶବାସୀଙ୍କୁ ଦେଇ ମହାଦାନୀ ବୋଲାଇବାରେ କର୍ଣ ଓ ହରିଶ୍ଚନ୍ଦ୍ରଙ୍କୁ ବଳିଯାଉଥିବା ସରକାର ବାହାଦୁରମାନେ ଏ ମାମୁଲି ମୃତ୍ୟୁଖବରରେ ବିଚଳିତ ହେବେ କାହିଁକି? ମଦଦୋକାନ ନିଲାମୀର ହିସାବପତ୍ର ଏଯାଏଁ ସାରିପାରିନଥିବା ବ୍ୟସ୍ତ ପ୍ରଶାସନ ପାଖରେ ଏ ମାମୁଲି ମୃତ୍ୟୁର ଖବରନେବାକୁ ତର କାହିଁ? ବୁଦ୍ଧି ବନ୍ଧା ପକେଇଥିବା ବୁଦ୍ଧିଜୀବୀମାନେ ଏ ମାମୁଲି ମୃତ୍ୟୁର ଜମାନବନ୍ଦୀ ନେବାଲାଗି କ’ଣ ପଘାଛିଣ୍ଡେଇ ଆସିପାରିବେ? ଏ ମାମୁଲି ମୃତ୍ୟୁଘଟଣାରେ ମୁଣ୍ଡ ପୂରେଇଲେ ଯେ ଭୋଟ୍ ବ୍ୟାଙ୍କ୍ ବଢ଼ିବ, ସେ ବିଶ୍ବାସ ରାଜନେତାଙ୍କର ନାହିଁ।
ତାଙ୍କୁ ଜୀବଦ୍ଦଶାରେ ଆଦୌ ଆହା ପଦେ କହିପାରି ନଥିବା ଆମ ଭଳି ଅପାରଗ ଲେଖକବନ୍ଧୁମାନେ ସାମାଜିକ ଗଣମାଧ୍ୟମରେ ପୁଞ୍ଜାଏ କବିତା ଲେଖିବା ଛଡ଼ା ଆଉ କ’ଣ ବା କରିପାରିବେ? ଆହା, କବିତା କିଛି ଲେଖିଥିଲେ ବୋଲି ଆମର ସିନା ଏତେ ଦରଦ। ନହେଲେ ଅଚିହ୍ନା, ସାଧାରଣ, ଅର୍ବାଚୀନ ଦିନବନ୍ଧୁମାନଙ୍କ ପାଇଁ ଆମେ କାହିଁକି ବା ବାହାରିଥା’ନ୍ତୁ!ଦିନବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି। ତାଙ୍କର ମୃତ୍ୟୁ ଆମ ସାମଗ୍ରିକ ବିଫଳତାର ସଦ୍ୟତମ ଫଳଶ୍ରୁତି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia