କେବଳ ସେତିକି ନୁହେଁ,୧୦୦ ମିଟର ମଧ୍ୟରେ ହେଉଥିବା ଇନଫରମେସନ ଓ ଡୋନେସନ କିଓସ୍କ, ଫାଷ୍ଟଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର ଏବଂ ଏଟିଏମ କିଓସ୍କକୁ ମଧ୍ୟ ପ୍ରୋହିବିଟେଡ ଏରିଆ ବାହାରକୁ ନେବାକୁ କହିଛି ଏନଏମଏ।
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର
ତା-୨୦-୦୯-୨୦୨୨
କିଛି ଦିନ ପରେ ପୁଣି ଥରେ ଚର୍ଚ୍ଚା ଓ ଆଲୋଚନାକୁ ଫେରିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ।ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରୋହିବିଟେଡ୍ ଏରିଆ ବାହାରେ ହେବ ରିସେପସନ୍ ସେଣ୍ଟର।ସଂରକ୍ଷିତ ଐତିହ୍ୟ ସ୍ଥଳ ଠାରୁ ୧୦୧. ୫୦ ମିଟର ଦୂରତାରେ ନିର୍ମାଣ ହେବ ଅଭ୍ୟର୍ଥନା କେନ୍ଦ୍ର।ଗତ ୯ ତାରିଖରେ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ବା NMAର ବୈଠକରୁ ଏଥିପାଇଁ ଏନଓସି ମିଳିଥିବା ଜଣା ପଡ଼ିଛି।ଏହି ବୈଠକର ନିଷ୍କର୍ସ ସମ୍ପର୍କିତ ନିଷ୍ପତ୍ତି ପତ୍ରର ନକଲ ହସ୍ତଗତ ହୋଇଛି।

ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି,୨୦୨୨ ଏପ୍ରିଲରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଗ୍ରାଣ୍ଡ ରୋଡରେ ରିସେପସନ୍ ସେଣ୍ଟର କରିବା ନେଇ ସଂଶୋଧିତ ଡିପିଆର ଦିଆଯାଇ ଅନୁମତି ମଗାଯାଇଥିଲା।ଏହା ଉପରେ ବିସ୍ତୃତ ତର୍ଜମା ପରେ ଅଭ୍ୟର୍ଥନା କକ୍ଷଟି ସଂରକ୍ଷିତ ଐତିହ୍ୟ ସ୍ଥଳ ଠାରୁ ୧୦୧. ୫୦ ମିଟର ଦୂର ଅର୍ଥାତ୍ ପ୍ରୋହିବିଟେଡ୍ ଏରିଆ ବାହାରେ ଏବଂ ରେଗୁଲେଟେଡ୍ ଏରିଆ ଭିତରେ ନିର୍ମାଣ ପାଇଁ ସୁପାରିଶ କରାଯାଇଛି।ଉଚ୍ଚତା ସାଢ଼େ ୭ ମିଟରରୁ ଅଧିକ ହୋଇପାରିବ ନାହିଁ।କେବଳ ସେତିକି ନୁହେଁ, ୧୦୦ ମିଟର ମଧ୍ୟରେ ହେଉଥିବା ଇନଫରମେସନ ଓ ଡୋନେସନ କିଓସ୍କ, ଫାଷ୍ଟଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର ଏବଂ ଏଟିଏମ କିଓସ୍କକୁ ମଧ୍ୟ ପ୍ରୋହିବିଟେଡ ଏରିଆ ବାହାରକୁ ନେବାକୁ କହିଛି ଏନଏମଏ।
ନିର୍ମାଣ ହେଉଥିବା ସେଲଟର ପ୍ୟାଭିଲିୟନ,ମନ୍ଦିର କାର୍ଯ୍ୟାଳୟର ଉଚ୍ଚତା ଅଧିକ ହୋଇପାରିବ ନାହିଁ କିମ୍ବା ଏହା ପାଇଁ ବଡ଼ ବଡ଼ ଖନନ କରାଯାଇପାରିବ ନାହିଁ।ଏହା ବାଦ୍ ଏ ସବୁ ପ୍ରସ୍ତାବ ଆଧାରରେ ନିର୍ମାଣ ହେବାକୁ ଥିବା କାମର ଅନୁମତି ପାଇଁ ସଂଶୋଧିତ ପ୍ରସ୍ତାବ ପଠାଇବାକୁ କୁହାଯାଇଛି।ଯେହେତୁ ପୂର୍ବରୁ ରିସେପସନ୍ ସେଣ୍ଟର ଆମସାର ଆକ୍ଟ ନିୟମ ଉଲ୍ଲଘଂନ କରାଯାଇ ପ୍ରୋହିବିଟେଡ୍ ଏରିଆ ମଧ୍ୟରେ ନିର୍ମାଣ ହେଉଥିଲା, ତାକୁ ନେଇ ବିବାଦ ଜୋର ଧରିଥିଲା।ଏମିତିକି ଏହା ବିରୋଧରେ ଜଗନ୍ନାଥ ପ୍ରେମୀ ମାନେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ।

ସେହି ସମୟରେ ତେବେ ବିବାଦ ବଢ଼ିବା ଯୋଗୁଁ ଅଭ୍ୟର୍ଥନା କକ୍ଷ ନିର୍ମାଣ କାମ ଅଧାରୁ ବନ୍ଦ ରଖାଯାଇଥିଲା।ତେବେ ଏନଏମଏ କର୍ତ୍ତୃପକ୍ଷ ଏହାକୁ ନିଷିଦ୍ଧାଞ୍ଚଳ ବାହାରେ କରିବାକୁ ସ୍ପଷ୍ଟ ନିଷ୍ପତ୍ତି ଶୁଣାଇବା ପରେ ପ୍ରକଳ୍ପ ବିପକ୍ଷବାଦୀ ଏହାକୁ ଆଇନର ବିଜୟ ବୋଲି କହିଛନ୍ତି।ହେଲେ ଏହି ପ୍ରକଳ୍ପର ସପକ୍ଷବାଦୀଙ୍କ ତର୍କ ହେଉଛି ଯେ ଯାହା ବି ହେଉଛି ଭଲ ହେଉଛି।